Monday, September 14, 2026

 


କାଠଯୋଡ଼ି —ଏକ ନୀରବ ସ୍ମୃତି


ଅକ୍ଷୟ କୁମାର ସାହୁ


କଟକ ତ ଏକ ସହର ନୁହେଁ,

ଇତିହାସର ଜୀବନ୍ତ ଏକ ଅଧ୍ୟାୟ,

ମହାନଦୀ ଓ କାଠଯୋଡ଼ି ମଝିରେ

ଶତାବ୍ଦୀର ସ୍ମୃତି ହୋଇ

ଠିଆ ହୋଇଛି ଆଜି ବି—

ନିଜ ଗରିମାରେ, ନିଜ ପରିଚୟରେ।



କାଠଯୋଡ଼ି, ତୁମେ ଦିନେ ଥିଲ

ପ୍ରବଳ ସ୍ରୋତର ଚିରସ୍ରୋତା ନଦୀ,

ନୀଳ ଜଳର ଗଭୀରତା ଭିତରେ

ଲୁଚିଥିଲା କେତେ ଅଜଣା କାହାଣୀ।

ତୁମ ଢେଉରେ ଥିଲା ଭୟ,

ତୁମ ନିରବତାରେ ଥିଲା ମାୟା।



ଆଜି ତୁମ ଛାତିରେ


ସେଇ ଅଥଳ ଜଳରାଶି ନାହିଁ,

ବାଲିପଠାରେ ଧୀର ପାଦରେ

ଗୋରୁ-ମଇଁଷି ଚାଲିଯାଆନ୍ତି।

ତଥାପି ତୁମେ ଗମ୍ଭୀର,

ତଥାପି ତୁମେ ଗଭୀର—

ସମୟ ପରି ବହିଚାଲିଛ।



ତୁମ କୂଳରେ ଠିଆ ହୋଇ

କିଏ ତୁମ ଛବି କ୍ୟାମେରାରେ ତୋଳିଧରେ 

କିଏ ନୀଳ ଆକାଶ ଖୋଜେ,

କିଏ ମାଛରଙ୍କାର ଉଡ଼ାଣ ଦେଖେ।

ଆଉ କିଏ ନୀରବରେ

ତୁମ ଜଳକୁ ଅନାଇ

ନିଜର ହଜିଯାଇଥିବା ଦିନ ଖୋଜେ।



ବର୍ଷା ଆସିଲେ ତୁମ ରୂପ

ହୋଇଯାଏ ଆହୁରି ଅପୂର୍ବ,

କଳା ବାଦଲ ତଳେ

ବିସ୍ତୃତ ବାଲିପଠା, ଦୂର ଦିଗବଳୟ—

ପ୍ରକୃତି ଯେମିତି ନିଜ ହାତରେ

ଆଙ୍କିଦିଏ ଏକ ଚିତ୍ର,

ଯାହାକୁ ଦେଖି ମନ ନିରବ ହୋଇଯାଏ।



କାଠଯୋଡ଼ି, ତୁମେ କେବଳ ନଦୀ ନୁହେଁ,

କଟକର ହୃଦୟର ଏକ ସ୍ପନ୍ଦନ,

ଅତୀତର ଏକ ଅମର ସ୍ମୃତି,

ବର୍ତ୍ତମାନ ର ଏକ ନୀରବ ଦର୍ପଣ।

ସହର ବଦଳିଛି, ସମୟ ବଦଳିଛି—

କିନ୍ତୁ ତୁମେ ଆଜି ବି

କଟକର ମନକୁ ନିଜ ଭିତରେ ବହିଚାଲିଛ

ଆଉ ତା’ ସହିତ ଆମର ସ୍ମୃତିରେ ଏକ ଅଲିଭା

ସ୍ୱାକ୍ଷର ହୋଇ ଆଙ୍କିହୋଇଯାଇଛ ।