Reply of Odish CM Mohan Majhi on water resources department on March 21, 2025
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ
ଜଳସମ୍ପଦ ବିଭାଗ ଅନୁଦାନ ଦାବି ଆଲୋଚନାରେ
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉତ୍ତର
21 ମାର୍ଚ୍ଚ 2025
ମାନ୍ୟବର ବାଚସ୍ପତି ମହୋଦୟା,
ଜଳ ସମ୍ପଦ ବିଭାଗର ଅନୁଦାନ ଦାବି 14 ହଜାର 841 କୋଟି 72 ଲକ୍ଷ 92 ହଜାର ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ଉପରେ ମାନ୍ୟବର ସଦସ୍ୟ ଓ ସଦସ୍ୟାଗଣ ସେମାନଙ୍କ ବହୁମୂଲ୍ୟ ମତାମତ ରଖିଥିଲେ। ଏହି ବିସ୍ତୃତ ଆଲୋଚନାରେ ରାଜ୍ୟ ଜଳସେଚନର ବିଭିନ୍ନ ଦିଗ ଉପରେ ମତ ପ୍ରକାଶ ପାଇଥିଲା। ବିଭାଗୀୟ ମନ୍ତ୍ରୀ ଭାବେ ମୁଁ ସେସବୁ ପରାମର୍ଶ ଓ ଟିପ୍ପଣୀଗୁଡିକୁ ମୋ ବିଚାରକୁ ନେଇଛି ଏବଂ ଆବଶ୍ୟକ ଅନୁସାରେ ସରକାର କାର୍ଯ୍ୟକାରୀ କରିବେ। ଆଜି ଏହି ପବିତ୍ର ଗୃହରେ ସଦସ୍ୟ/ସଦସ୍ୟାଙ୍କ ଦ୍ଵାରା ଉତ୍ଥାପିତ ପ୍ରସଙ୍ଗ ଓ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ପାଇଁ ମୋତେ ସୁଯୋଗ ଦେଇ ଥିବାରୁ ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି।
“ଜଳ ହିଁ ଜୀବନ’। କେବଳ ଜୀବନ ଧାରଣ କରିବା ପାଇଁ ଜଳ ଆବଶ୍ୟକ ତାହା ନୁହେଁ, ଜୀବନ ଧାରଣ କରିବା ପାଇଁ ଆବଶ୍ୟକ ଯେତେସବୁ ସାଧନ ଯେପରିକି ଖାଦ୍ଯ ଉତ୍ପାଦନ କରିବା ପାଇଁ ଜଳର ନିତାନ୍ତ ଆବଶ୍ୟକତା ଅଛି। ଆମ ରାଜ୍ୟ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଏବଂ ରାଜ୍ୟରେ ବହୁବିଧ ଫସଲ ଉତ୍ପାଦିତ ହୁଏ। ସାଧାରଣ ଭାବେ ଓଡିଶାରେ ଖରିଫ ଋତୁ ହିଁ ମୂଖ୍ୟ କୃଷି ଋତୁ ଏବଂ ଖରିଫ ଋତୁରେ ଧାନ ହିଁ ମୁଖ୍ୟ ଫସଲ ହୋଇଥାଏ। ଧାନ ସହିତ ମାଣ୍ଡିଆ, କିଛି ଡାଲି ଜାତୀୟ ଫସଲ ଏବଂ ପନି ପରିବା ଚାଷ ମଧ୍ୟ ହୁଏ। ଖରିଫ ଫସଲ ପାଇଁ ଜଳର ଅପେକ୍ଷାକୃତ ଅଧିକ ଆବଶ୍ୟକତା ହୋଇଥାଏ।
ଦୁଃଖର କଥା ଯେ ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ଓଡିଶାର ମାତ୍ର ୩୪ ପ୍ରତିଶତ ଚାଷ ଜମିରେ ଜଳ ସେଚନ ସୁବିଧା ଅଛି। ଆଜି ମୁଁ ୨୪ ବର୍ଷ ସୁଶାସନର ଡିଣ୍ଡିମ ପିତୁଥିବା ବିଧାୟକ ବିଧୟିକାଙ୍କୁ ମନେ ପକାଇଦେବା ପାଇଁ ଚାହେଁ ଯେ ଏଇ ପବିତ୍ର ଗୃହରେ ୨୦୦୬ ମସିହାରେ କୁହାଯାଇଥିଲା ଯେ ରାଜ୍ୟର ପ୍ରତି ବ୍ଲକରେ ୩୫ ପ୍ରତିଶତ ଚାଷ ଜମିକୁ ଜଳସେଚନ ସୁବିଧା ପାଞ୍ଚ ବର୍ଷରେ ଯୋଗାଇ ଦିଆଯିବ। ୨୦୦୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବ୍ଲକ ନୁହେଁ ପ୍ରତି ଗ୍ରାମରେ ଥିବା ଚାଷ ଜମିରୁ ଅତ୍ୟନ୍ତ ପକ୍ଷେ ୩୫ ପ୍ରତିଶତ ଜମିକୁ ଜଳସେଚନ ଯୋଗାଇ ଦିଆଯିବ।
ଆଜି ଏହି ଫମ୍ପା ପ୍ରତିଶୃତିକୁ ପ୍ରାୟ ୨୦ ବର୍ଷ ହୋଇଗଲା, କିନ୍ତୁ ରାଜ୍ୟରେ ପ୍ରକୃତ ଜଳ ସେଚନ ପାଉଥିବା ଜମିର ପ୍ରତିଶତ 50 ପ୍ରତିଶତ ବି ପହଞ୍ଚି ପାରିଲା ନାହିଁ। ଏବେ ବି ରାଜ୍ୟରେ ପ୍ରାୟ ୬୦ ରୁ ଅଧିକ ବ୍ଲକ ଅଛି, ଯେଉଁଠି ଜଳସେଚନ ସୁବିଧା ୩୫ ପ୍ରତିଶତରୁ ଢେର କମ। ସଦ୍ୟତମ ତଥ୍ୟ ଅନୁସାରେ ରାଜ୍ୟରେ ଯେତେ ଜଳ ସେଚନ ସୁବିଧା ଅଛି ରାଜ୍ୟର ଚାଷୀମାନେ ତା’ଠୁ ଢେର କମ ଜଳ ସେଚନର ପ୍ରକୃତ ପକ୍ଷେ ସୁବିଧା ପାଇଥାଆନ୍ତି। ଏହାର ଅନେକ କାରଣ ଅଛି, ଯେପରିକି ନିମ୍ନ ମାନର କାମ, ତଳିଆ ଅଞ୍ଚଳରେ ଜଳ ନ ପହଞ୍ଚିବା, କେନାଲର ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବ ଇତ୍ୟାଦି। ସେ ସମୟରେ ଓଡିଶାରେ ସମସ୍ତେ ଜାଣିଥିଲେ ଯେ ଜଳ ସେଚନ ବିଭାଗ ଦୁର୍ନୀତିର ଗନ୍ତାଘର ଥିଲା। ଯାହାଫଳରେ ରାଜ୍ୟର ଚାଷୀମାନେ ଏହି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।
ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଆଦରଣୀୟ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀ ଙ୍କ ଦିଗଦର୍ଶନରେ ଓଡିଶାକୁ ୨୦୩୬ ମସିହା ସୁଦ୍ଧା ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ଆମ ସରକାର ସଂକଳ୍ପବଦ୍ଧ । ଆମ ବିରୋଧୀ ବି ମୁକ୍ତ କଣ୍ଠରେ ସ୍ଵୀକାର କରିବେ ଯେ 2014 ପରେ ସାରା ଦେଶରେ ଜଳସେଚନର ଦୃତ ବିକାଶ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ।
ଏହି ନୀତିରୁ ତତ୍କାଳୀନ ସରକାର ମଧ୍ୟ ସୁବିଧା ନେଇଛନ୍ତି। କିନ୍ତୁ, ସବୁ ପ୍ରକାର ସାହାଜ୍ଯ ସହଯୋଗ ସତ୍ତ୍ୱେ ଜଳ ସେଚନ କ୍ଷେତ୍ରରେ ଯେତେ ସଫଳତା ହାସଲ କରିବା କଥା କରି ପରି ନାହାନ୍ତି। ତେଣୁ, ଏହି gap କୁ ଆମ ସରକାର ପୂରଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉପଲବ୍ଧ ଜଳସମ୍ପଦର ସୁବିନିଯୋଗ ଏବଂ ସୁପରିଚାଳନା ପାଇଁ ଆମ ସରକାର ନୂତନ ରାଜ୍ୟ ଜଳନୀତି (New State Water Policy) ପ୍ରସ୍ତୁତ କରୁଛନ୍ତି ।
ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଚଳିତ ଆର୍ଥିକ ବର୍ଷରେ ଆମ ସରକାର ପ୍ରଥମ ବଜେଟ ଉପସ୍ଥାପନ ବେଳେ ରାଜ୍ୟର Water Security ପାଇଁ ଜଳ ସଂରକ୍ଷଣ ଏବଂ ଉତ୍ତମ ଜଳ ପରିଚାଳନାକୁ ପ୍ରାଥମିକତା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସର୍ବବୃହତ ହୀରାକୁଦ ଡ୍ୟାମର ସେଚ ପଦ୍ଧତିର ନବୀକରଣ ପାଇଁ ୮୫୫ କୋଟି ଟଙ୍କା, ଫାଟକରହିତ ଜଳାଶୟ ଗୁଡିକରେ ଫାଟକ ଲଗାଇ ଜଳଧାରଣ କ୍ଷମତା ବୃଦ୍ଧିପାଇଁ ୨୪୦ କୋଟି ଟଙ୍କା, ଉଦବୃତ ବନ୍ୟାଜଳ ସଠିକ ପରିଚାଳନା ପାଇଁ ଜଳାଶୟ ଗୁଡିକରେ ସ୍ଵୟଂଚାଳିତ ଫାଟକ ବ୍ୟବସ୍ଥା ପାଇଁ ୮୦ କୋଟି ଟଙ୍କାର ନୂତନ ଯୋଜନାମାନ ଆରମ୍ଭ କରିଛନ୍ତି । ଏତଦବ୍ୟତୀତ, ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ପାଇଁ Mahanadi River Front Development ଯୋଜନା ଆରମ୍ଭ କରାଯାଇଅଛି । ପ୍ରଥମ ପର୍ଯ୍ୟାୟରେ କଟକ ଓ ସମ୍ବଲପୁର ଠାରେ ମହାନଦୀ ତଟର ଉନ୍ନତିକରଣ ପାଇଁ DPR କରାଯାଉଛି।
ମହୋଦୟା,
ଓଡିଶାରେ ବର୍ତ୍ତମାନ ପ୍ରାୟ 62 ଲକ୍ଷ ହେକ୍ଟର ଜମିରେ ଖରିଫ ଋତୁରେ ଚାଷ ହୋଇଥାଏ ଏବଂ ବିଭିନ୍ନ study ଏବଂ ସର୍ଭେ ଅନୁସାରେ 49 ଲକ୍ଷ 90 ହଜାର ହେକ୍ଟର ଜମିକୁ ଜଳସେଚନ ଅତି ସହଜରେ ଯୋଗାଇ ଦିଆଯାଇ ପାରିବ। ତେଣୁ ଏହି ପ୍ରାୟ ସତ ଲକ୍ଷ ହେକ୍ଟର ଜମିକୁ ଯେତେ ଶୀଘ୍ର ସମ୍ଭବ ଜଳସେଚନ ଯୋଗାଇ ଦେବାକୁ ଆମ ସରକାରଙ୍କ ପ୍ରଥମ ପ୍ରଥମିକତା।
ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ବିଭାଗର ବ୍ୟୟବରାଦ ଚଳିତ ବର୍ଷ ବ୍ୟୟବରାଦ ଠାରୁ ୧୨.୨୨ % ବର୍ଦ୍ଧିତ କରାଯାଇ ୧୪ ହଜାର ୮୯୫ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି।
ଭବିଷ୍ୟତ ପିଢ଼ିର ଜଳ ଆବଶ୍ୟକତା ଏବଂ ଜୀବନଧାରଣ ମାନକୁ ସୁଗମ କରିବାପାଇଁ ଏହି ବଜେଟରେ ବିଭିନ୍ନ ସଂସ୍କାର ମୂଳକ ଯୋଜନା ମାନ କରିବା ପାଇଁ ପ୍ରସ୍ତାବ ରହିଛି । ଏହି ବିଷୟରେ ମାନ୍ୟବର ସଦସ୍ୟ ମାନଙ୍କର ଅବଗତି ନିମନ୍ତେ ମୁଁ ଏଠାରେ ଉପସ୍ଥାପନ କରୁଅଛି ଯେ ;
• କୃଷି ଓ କୃଷକ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ତଥା ଖାଦ୍ୟ ନିରାପତ୍ତା ପାଇଁ ରାଜ୍ୟର ସମସ୍ତ ଚାଷୋପଯୋଗୀ ଜମିରେ ଜଳସେଚନ ସୁନିଶ୍ଚିତ କରିବା ପାଇଁ ଜଳସମ୍ପଦ ବିଭାଗ ଏକ Irrigation Master Plan ପ୍ରସ୍ତୁତ କରୁଅଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୨ ଲକ୍ଷ ୭୭ ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।
• ବନ୍ୟାର ଦୀର୍ଘସ୍ଥାୟୀ ପ୍ରତିକାର, ପ୍ରାକ ବିପର୍ଯ୍ୟୟ ପ୍ରସ୍ତୁତି ତଥା ଭିତ୍ତିଭୂମିର ସୁଦୃଢୀକରଣ ନିମନ୍ତେ ଏକ Comprehensive Flood Management Plan ପ୍ରସ୍ତୁତ କରାଯାଉଛି । ଏଥିରେ ନଦୀ ବନ୍ଧ ସୁଦୃଢୀକରଣ, ନଦୀ ମୁହାଣ ଖନନ ଏବଂ ଅତ୍ୟାଧୁନିକ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରାଯାଇ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ ।
• ସମାୟାନୁକ୍ରମେ ପଟୁ ଜମିଯାଇଥିବା ଓ ପ୍ରଦୂଷିତ ହୋଇଯାଇଥିବା ନଦୀ / ନାଳଗୁଡ଼ିକର ଶଯ୍ୟାକୁ ପୁନରୁଦ୍ଧାର କରି ପ୍ରାକୃତିକ ପ୍ରବାହକୁ ପୁନର୍ଜିବିତ କରାଯିବା ପାଇଁ River Rejuvenation Programme (ନଦୀ ପୁନରୁଦ୍ଧାର ଯୋଜନା) ପ୍ରସ୍ତୁତ କରାଯାଉଛି ।
• ଅନିୟମିତ ବୃଷ୍ଟିପାତ ଓ ଜଳସେଚନ, ଘରୋଇ ତଥା ଶିଳ୍ପ କ୍ଷେତ୍ରରେ ବର୍ଦ୍ଧିତ ଜଳ ଚାହିଦାକୁ ଦୃଷ୍ଟିରେ ରଖି ଆନ୍ତଃରାଜ୍ୟ ନଦୀମାନଙ୍କର ସଂଯୋଗୀକରଣ ନିମନ୍ତେ Intra-State Linking of Rivers ଯୋଜନା କରିବାପାଇଁ ପଦକ୍ଷେପ ନିଆଯାଉଅଛି ।
ମହୋଦୟା,
ଖାଦ୍ୟ ନିରାପତ୍ତା, ମରୁଡି ମୁକାବିଲା ପାଇଁ ବୃହତ୍ତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପଗୁଡିକର ଉଲ୍ଲେଖନୀୟ ଅବଦାନ ରହିଛି । ନିର୍ମାଣାଧୀନ ପ୍ରକଳ୍ପ ଗୁଡିକର ଦୃତ ଅଗ୍ରଗତି ଏବଂ ନିର୍ଦ୍ଧିଷ୍ଟ ସମୟସୀମାରେ ସମ୍ପୂର୍ଣ୍ଣ କରିବା ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ବଜେଟରେ ୩ ହଜାର ୫୪୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଅଛି। ୨୦୨୫-୨୬ ଆର୍ଥିକ ବର୍ଷରେ ;
• ବଲାଙ୍ଗୀର ଜିଲ୍ଲାରେ ନିର୍ମାଣାଧୀନ Lower Suktel ଜଳସେଚନ ପ୍ରକଳ୍ପର ଭୂତଳ ପାଇପ (UGPL) ବିତରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ କରାଯାଇ ମରୁଡି ପ୍ରବଣ ଲୋଇସିଙ୍ଘା, ପୁଇଁତଳା, ତରଭା ଓ ବଲାଙ୍ଗୀର ବ୍ଲକ ଗୁଡିକର ୪୦ ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଉନ୍ନତ ବୈଷୟିକ ଜ୍ଞାନ କୌଶଳରେ ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପର ସମସ୍ତ ଚାଷଜମିକୁ Micro Irrigation ସମର୍ଥ କରି ଅଣଧାନ ଚାଷ ସହିତ ଫସଲ ବିବିଧିକରଣକୁ ପ୍ରୋତ୍ସାହନ ଦିଆଯିବ ।
• କେନ୍ଦୁଝର ଜିଲ୍ଲାର ବହୁ ପ୍ରତିକ୍ଷିତ କାନୁପୁର ଡ୍ୟାମ ଓ Spillway ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ପ୍ରଥମ ପର୍ଯ୍ୟାୟରେ ୧୩ ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ।
• ନୟାଗଡ଼ ଜିଲ୍ଲାର କୁସୁମି ଜଳସେଚନ ପ୍ରକଳ୍ପର ବିତରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ କରାଯାଇ ୩ ହଜାର ୭୪୫ ହେକ୍ଟର, ଗଞ୍ଜାମ ଜିଲ୍ଲାର ଘଟକେଶ୍ଵର ଜଳସେଚନ ପ୍ରକଳ୍ପର ବିତରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ କରାଯାଇ ୭୧୦ ହେକ୍ଟର ଏବଂ ବରଗଡ ଜିଲ୍ଲାର ଗଙ୍ଗାଧରମେହର ଜଳସେଚନ ପ୍ରକଳ୍ପ ସମ୍ପ୍ରସାରଣ ସମ୍ପୂର୍ଣ୍ଣ କରାଯାଇ ଅତିରିକ୍ତ ୫ ହଜାର ୭୫୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଏହାବ୍ୟତୀତ ନିର୍ମାଣାଧୀନ Rengali Right, ଅଂଗ Extension ଏବଂ ଛେଳିଗଡ – ଘୋଡାହାଡ link ର ଆଂଶିକ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ଅତିରିକ୍ତ ୨୦ ହଜାର ଏକ ଶହ ହେକ୍ଟର ଚାଷଜମିକୁ ଜଳସେଚିତ କରାଯାଇପାରିବ ।
• ଆମ ସରକାର ବହୁଦିନରୁ ଆରମ୍ଭ ହୋଇ ଅସମ୍ପୂର୍ଣ୍ଣ ରହିଥିବା ରେଙ୍ଗାଳୀ ବାମପାର୍ଶ୍ଵ କେନାଲ, ଆନନ୍ଦପୁର ବ୍ୟାରେଜ୍, ହାଡୁଆ ଡ୍ୟାମ, ଛେଳିଗଡ ଜଳସେଚନ ପ୍ରକଳ୍ପ ଗୁଡିକ ସହିତ ନୂତନଭାବେ କରାଯାଉଥିବା ସୋନୋ ବ୍ୟାରେଜ, ବାଙ୍କତିରା ବ୍ୟାରେଜ, ତୁରିଗୁନ୍ତାତ ବ୍ୟାରେଜ ଏବଂ ଉପର ଲାନ୍ଥ ଓ ସାନ୍ଦୁଲ ପ୍ରକଳ୍ପର UGPL ବିତରଣ ବ୍ୟବସ୍ଥାକୁ ୨୦୨୯ ସୁଦ୍ଧା ସଂପୂର୍ଣ୍ଣ କରି ଚାଷଜମିକୁ ଜଳସେଚନ ଦେବାପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ।
• ମୁଁ ଏଠାରେ ପ୍ରକାଶ କରିବାକୁ ଚାହେଁ ଯେ ଆମ ସରକାର ଦ୍ଵାରା ଆଗାମୀ 4 ବର୍ଷ ମଧ୍ୟରେ (୨୦୨୯ ସୁଦ୍ଧା) ବିଭିନ୍ନ ଲୋକାଭିମୁଖୀ ନୂତନ ଜଳସେଚନ ପ୍ରକଳ୍ପ ଯଥା ଖଇରିବନ୍ଧନ, ବୃତଙ୍ଗ, ପିପଳପଙ୍ଖା, ଖରଖରା Stage-2, ଭୀମକୁଣ୍ଡ, କଳା, ହିଡସିଂ, ମାଙ୍କଡା, ସମାକୋଇ ଏବଂ ଖଡଖାଇ Stage-2 ନିର୍ମାଣ କରିବାପାଇଁ ଆନୁସଙ୍ଗିକ ପ୍ରକ୍ରିୟା ଆରମ୍ଭ କରାଯାଇଅଛି । ଏତଦବ୍ୟତୀତ Lower ନାଗାବଳୀ, Middle କୋଲାବ, ଚନ୍ଦ୍ରିନଳା ଏବଂ Lower ଭାସ୍କେଲ ଜଳସେଚନ ପ୍ରକଳ୍ପର ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଅଛି।
ମହୋଦୟା,
ପାରମ୍ପରିକ ପଦ୍ଧତିରେ ଜଳସେଚନ ସୁବିଧା ଯୋଗାଇ ଦିଆ ଯାଇ ପାରୁ ନଥିବା ଅପହଞ୍ଚ ଓ ଢିପ ଜମି ଗୁଡିକୁ ସୁନିଶ୍ଚିତ ଜଳସେଚନ ଯୋଗାଇଦେବା ପାଇଁ ପାର୍ବତୀଗିରି ବୃହତ୍ତ ଉଠା ଜଳସେଚନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୨୦୫ ଗୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ ୨.୬ ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ସୃଷ୍ଟି କରାଯାଇଛି। ଏହାର ଦ୍ୱିତୀୟ ପର୍ଯ୍ୟାୟରେ ଅତିରିକ୍ତ ୨.୬୩ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ୧୦,୭୫୯ କୋଟି ଟଙ୍କା ବ୍ୟୟ ଅଟକଳରେ ୧୭୦ ଗୋଟି ନୂତନ ପ୍ରକଳ୍ପ ମଞ୍ଜୁର କରାଯାଇଛି ତନ୍ମଧ୍ୟରୁ ୭୪ ଗୋଟି ପ୍ରକଳ୍ପର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି ।
ମୁଁ ଏଠାରେ ଆପଣ ମାନଙ୍କର ଅବଗତି ନିମନ୍ତେ ଜଣାଇବାକୁ ଚାହେଁ ଯେ ଇନ୍ଦ୍ରାବତୀ ବହୁମୂଖୀ ପ୍ରକଳ୍ପ ହେବା ସମୟରେ ଇନ୍ଦ୍ରାବତୀ ନଦୀର ତଳମୁଣ୍ଡରେ ଥିବା ନବରଙ୍ଗପୁର ଜିଲ୍ଲାର ଉପେକ୍ଷିତ ଚାଷଜମିକୁ ସେଚକ୍ଷମ କରିବା ପାଇଁ ନବରଙ୍ଗପୁର ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ଯାହାଦ୍ୱାରା ୧୯ ହଜାର ୬୦୦ ହେକ୍ଟର ଚାଷଜମିକୁ ଜଳସେଚନ ଦିଆ ଯାଇ ନବରଙ୍ଗପୁର ବାସୀଙ୍କର ଦୀର୍ଘ ଦିନର ସ୍ଵପ୍ନ ପୂରଣ କରାଯାଇଛି ।
୨୦୨୫-୨୬ ଆର୍ଥିକ ବର୍ଷରେ ଅବଶିଷ୍ଟ ୯୬ ଗୋଟି ନୂତନ ପ୍ରକଳ୍ପ ୨୭ ଗୋଟି ଜିଲ୍ଲାରେ ଆରମ୍ଭ କରାଯିବା ସହିତ ୩୦ ଗୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇ ଅତିରିକ୍ତ ୪୮,୭୯୮ ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ୧ ହଜାର ୩୧୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ବାଚସ୍ପତି ମହୋଦୟା ,
ଜଳସେଚନ କ୍ଷେତ୍ରରେ କ୍ଷୁଦ୍ର ଜଳସେଚନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟର ବିଭିନ୍ନ ଛୋଟ ଛୋଟ ନାଳ, ଝରଣା ଗୁଡିକରେ ବିଭିନ୍ନ ଯୋଜନା ମାଧ୍ୟମରେ କ୍ଷୁଦ୍ର ଜଳାଶୟ, diversion weir ଓ ଆଡି ବନ୍ଧ ନିର୍ମାଣ କରାଯାଇ ଗ୍ରାମୀଣ ଓ ଅପହଞ୍ଚ ଅଞ୍ଚଳ ଗୁଡିକରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଅଛି ।
• ୨୦୨୯ ସୁଦ୍ଧା ବିଭିନ୍ନ ରାଜ୍ୟ ଯୋଜନା ଓ କେନ୍ଦ୍ରୀୟ ସହାୟତାରେ ୮୦ ଗୋଟି ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
• "Mukhyamantri Adibandha Tiari Yojana (MATY)" ୨୦୨୫-୨୬ ଆର୍ଥିକ ବର୍ଷରେ ୩୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇ ୩୧୩ ଗୋଟି ନୂତନ ଆଡିବନ୍ଧ ନିର୍ମାଣ ସହିତ ୧ ହଜାର ଆଡିବନ୍ଧର ଉନ୍ନତିକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
• ସେହିପରି "Improvement to Tanks & MIPs" ରେ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇ ୫ ହଜାର ହେକ୍ଟର ଚାଷ ଜମିରେ ସେଚ ସାମର୍ଥ୍ୟ ସୁଦୃଢୀକରଣ କରିବାର ଲକ୍ଷ୍ୟ ରଖାଯାଇଛି । ଏତଦବ୍ୟତୀତ ଆମ ସରକାର ପୁରୁଣା diversion weir ଗୁଡ଼ିକର ସୁରକ୍ଷା ଏବଂ ଉପଯୁକ୍ତ କାର୍ଯ୍ୟକାରିତା ସହିତ ନିର୍ଦ୍ଧାରିତ ସେଚ ସାମର୍ଥ୍ୟକୁ ହାସଲ କରିବା ପାଇଁ diversion weir ଗୁଡ଼ିକର ଉନ୍ନତିକରଣ କାର୍ଯ୍ୟକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି ।
• Pradhanmantri Krishi Sinchayee Yojana: Har Khet Ko Pani ଅଧୀନରେ ୫୭୪ ଗୋଟି ପ୍ରକଳ୍ପର ମରାମତି, ନବୀକରଣ ଏବଂ ପୁନଃରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି ଯାହାର ଆନୁମାନିକ ମୂଲ୍ୟ ୫୩୯ କୋଟି ୪୮ ଲକ୍ଷ ଟଙ୍କା । ଏହି ଯୋଜନାରେ ଏପର୍ଯ୍ୟନ୍ତ ୨୪୩ ଗୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ ୨୪୧ ଗୋଟି ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୧୦ ଟି ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖି ଏହି ଯୋଜନା ଅଧୀନରେ ୧୯୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଅଛି ।
ମହୋଦୟା ,
ଓଡିଶା ଉଠା ଜଳସେଚନ ନିଗମ ଦ୍ୱାରା ଜଳସେଚନ ସୁବିଧାକୁ ଲୋକାଭିମୁଖୀ କରିବା ପାଇଁ ଜନସହଭାଗୀତାରେ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ (Community Lift Irrigation Project) ଏବଂ Deep Borewell ନିର୍ମାଣ କାର୍ଯ୍ୟକ୍ରମ କରାଯାଉଛି ।
ଏହି କାର୍ଯ୍ୟକ୍ରମ ଗୁଡିକ ଦ୍ଵାରା ପାରମ୍ପରିକ ଖରିଫ ଧାନ ଚାଷ ଉପରେ ନିର୍ଭରଶୀଳ ଚାଷୀମାନେ ଚାଷ ଆବର୍ତ୍ତନ ପ୍ରଣାଳୀ ଅନୁସରଣ କରି ବର୍ଷତମାମ ବିବିଧ ପ୍ରକାରର ଅର୍ଥକରୀ ଫସଲ ଚାଷ ଦ୍ଵାରା ଲାଭବାନ ହେଉଛନ୍ତି । ରାଜ୍ୟର ଆଭ୍ୟନ୍ତରୀଣ ଶୁଷ୍କ ଓ ପଥୁରିଆ ଅଞ୍ଚଳରେ Lemon grass, Strawberry, ପିଆଜ, ବାଜରା, କପା, ହଳଦୀ ତଥା ବିଭିନ୍ନ ପ୍ରକାରର ଫୁଲ ଓ ପରିବା ଚାଷ କରି ନିଜର ଆର୍ଥିକ ଉନ୍ନତି କରିବା ସହିତ ରାଜ୍ୟର ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣି ପାରୁଛନ୍ତି ।
ସୌରଶକ୍ତି ଚାଳିତ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇ ରାଜ୍ୟର ଅପହଞ୍ଚ ତଥା ବିଦ୍ୟୁତ ସରବରାହ ଉପଲବ୍ଧ ନଥିବା ଅଞ୍ଚଳରେ ଜଳସେଚନ ବ୍ୟବସ୍ଥାର ଆଞ୍ଚଳିକ ବୈଷମ୍ୟ ଦୂର କରାଯାଇପାରିଛି । ଏହି ପ୍ରକଳ୍ପ ଗୁଡିକରେ ବିଦ୍ୟୁତ ଦେୟ ଦେବାକୁ ପଡୁ ନଥିବାରୁ ଏହା ଚାଷୀ ମାନଙ୍କ ଦ୍ଵାରା ବେଶ ଆଦୃତ ହୋଇପାରିଛି ।
ଏହି ପ୍ରକଳ୍ପ ଗୁଡିକର ଚାଷ କାର୍ଯ୍ୟରେ ମହିଳା ଚାଷୀମାନେ ପ୍ରମୁଖ ଭୂମିକା ଗ୍ରହଣ କରି ନିଜକୁ ସଶକ୍ତ କରି ଆଦର୍ଶ ଚାଷୀ ଭାବେ ଗଢି ପାରୁଛନ୍ତି । ପ୍ରକଳ୍ପ ଗୁଡିକର ସୁପରିଚାଳନା ଓ ବୈଷୟିକ ଉପଦେଶ ତଥା ସହଭାଗୀତା ମାଧ୍ୟମରେ ଜଳସେଚନ ବ୍ୟବସ୍ଥାକୁ ଦୃଢିକରଣ ନିମନ୍ତେ ପାଣି ପାଞ୍ଚାୟତ ଗୁଡିକ ସହିତ ନିରନ୍ତର ସହଯୋଗ କରାଯାଉଅଛି ।
ଅଦ୍ୟାବଧି Deep Borewell ନିର୍ମାଣ କାର୍ଯ୍ୟକ୍ରମ ଅଧୀନରେ ୧ ଲକ୍ଷ ୨୮ ହଜାର ୫୩୫ ଗୋଟି ଗଭୀର ନଳକୂପ ନିର୍ମାଣ କରାଯାଇଛି । ଏହାର ବିପୁଳ ଚାହିଦାକୁ ଦୃଷ୍ଟିରେ ରଖି, ୨୦୨୫-୨୬ ଆର୍ଥିକ ବର୍ଷରେ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ ଅଧୀନରେ ୧୯ ହଜାର ଗଭୀର ନଳକୂପ (ପାରମ୍ପରିକ ଓ ସୌରଚାଳିତ) କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି । ଏଥିପାଇଁ ୫୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି Community Lift Irrigation Project ଅଧୀନରେ ଅଦ୍ୟାବଧି ୩୭ ହଜାର ୬୫୫ ଗୋଟି ପ୍ରକଳ୍ପର କାର୍ଯ୍ୟ ସମାପ୍ତ କରାଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଏହି କାର୍ଯ୍ୟକ୍ରମ ଅଧୀନରେ ୧ ହଜାର ୬୩୦ ଗୋଟି CLIP ସମ୍ପୂର୍ଣ୍ଣ କରାଯିବ । ଏହି ଯୋଜନା ନିମନ୍ତେ ୨୦୨୫-୨୬ ଆର୍ଥିକ ବର୍ଷରେ ୬୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଅଛି ।
ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ଆବଶ୍ୟକୀୟ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଶୀଘ୍ର ଅଚଳ ହେଉଥିବା ପରିଲକ୍ଷିତ ହେଉଥିଲା ଯାହାକୁ ଦୃଷ୍ଟିରେ ରଖି ଆମ ସରକାର ଚଳିତ ବର୍ଷ ଅଚଳ ଉଠା ଜଳସେଚନ ପ୍ରକଳ୍ପ ଗୁଡିକୁ ସଚଳ କରିବା ପାଇଁ ଏବଂ ପୁରୁଣା କାର୍ଯ୍ୟକ୍ଷମ ଉଠା ଜଳସେଚନ ପ୍ରକଳ୍ପର ସୁଦୃଢ଼ୀକରଣ ପାଇଁ "Revival of Defunct LIPs with Reinforcement of Old Operable LIPs” ଯୋଜନା ପ୍ରଣୟନ କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ୧୦୬୫ ଗୋଟି ଅଚଳ ଉଠା ଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ଏବଂ ୧ହଜାର ୭୨୦ ଗୋଟି ପୁରୁଣା କାର୍ଯ୍ୟକ୍ଷମ ଉଠା ଜଳସେଚନ ପ୍ରକଳ୍ପର ସୁଦୃଢ଼ୀକରଣ ପାଇଁ ୧୯୦ କୋଟି ଟଙ୍କାର ପ୍ରସ୍ତାବିତ ବ୍ୟୟ ଅଟକଳ ରହିଛି ।
ମହୋଦୟା,
ଜଳର ପ୍ରତ୍ୟେକ ବିନ୍ଦୁ ଆମ ପାଇଁ ମୂଲ୍ୟବାନ । ଜଳବାୟୁ ପରିବର୍ତ୍ତନ କୁ ଦୃଷ୍ଟିରେ ରଖି ଦୂରଦ୍ରଷ୍ଟା ମାନନୀୟ ଯଶସ୍ଵୀ ପ୍ରଧାନମନ୍ତ୍ରୀଙ୍କର ଆହ୍ଵାନ “Catch the Rain- When it falls, where it falls” ସାକାର କରିବା ପାଇଁ ଓଡିଶା ସରକାର ଭୂପୃଷ୍ଠ ଓ ଭୂତଳ ଜଳ ସଂରକ୍ଷଣକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ଯୋଜନା ଯଥା "In-stream Storage Structure (ISS)", "Community Harnessing & Harvesting rainwater Artificially from Terrace to Aquifers (CHHATA)"Artificial Recharge to Underground Aquifers (ARUA) ପ୍ରଣୟନ କରିଛନ୍ତି ।
ଭୂପୃଷ୍ଠ ଜଳ ସଂରକ୍ଷଣ ପାଇଁ In-stream Storage Structure (ISS) ଯୋଜନାର ତିନୋଟି ପର୍ଯ୍ୟାୟରେ ୭୨ ଗୋଟି ISS ପ୍ରକଳ୍ପ ମଞ୍ଜୁର କରାଯାଇଛି ଯାହା ଦ୍ୱାରା ୬୫୮ ନିୟୁତ ଘନ ମିଟର ଜଳ ନଦୀ ମଧ୍ୟରେ ସଂରକ୍ଷଣ କରାଯାଇପାରିବ । ଏଥିମଧ୍ୟରୁ ଅଦ୍ୟାବଧି ୬ ଗୋଟି ପ୍ରକଳ୍ପ ଯଥା ବଲାଙ୍ଗୀର ଜିଲ୍ଲାର ମହୁଲପାଲି ଓ ଛତାମଖନା, ଗଞ୍ଜାମ ଜିଲ୍ଲାର ଢୋଲାପିଟା ଓ ଜାକମରାପଲ୍ଲୀ, କଳାହାଣ୍ଡି ଜିଲ୍ଲାର ଜୁଲ୍-କୋ, ଯାଜପୁର ଜିଲ୍ଲାର ସପ୍ତମାତୃକା ସମ୍ପୂର୍ଣ୍ଣ ହୋଇଛି ଏବଂ ୨୩ ଗୋଟି ପ୍ରକଳ୍ପ ୨୦୨୫-୨୬ ଆର୍ଥିକ ବର୍ଷରେ ସମ୍ପୂର୍ଣ୍ଣ ହେବାର ପ୍ରସ୍ତାବ ରହିଛି । ଏହି ବଜେଟରେ ୧ ହଜାର ୧୪୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଅବଶିଷ୍ଟ ୪୩ ଗୋଟି ISS ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯାଉଛି ।
ଦୃତ ସହରୀକରଣ ଏବଂ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଭୂତଳ ଜଳସ୍ତରରେ ଉନ୍ନତିକୁ ରାଜ୍ୟ ସରକାର ପ୍ରାଥମିକତା ଦେଇ "Community Harnessing & Harvesting rainwater Artificially from Terrace to Aquifers (ଛାତ) ଯୋଜନାରେ ୫୨ ଗୋଟି ଗୋଟି ଜଳକ୍ଳିଷ୍ଟ ବ୍ଲକ ଏବଂ ୨୭ ଗୋଟି ମନୋନୀତ ସହରାଞ୍ଚଳରେ ଛାତ ଉପରେ ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଏତଦବ୍ୟତୀତ Artificial Recharge to Underground Aquifers (ଅରୁଆ) ଯୋଜନା ମାଧ୍ୟମରେ ୬ ଗୋଟି ଗୁରୁତ୍ତର ଏବଂ ୨୬ ଗୋଟି ଅର୍ଦ୍ଧ ଗୁରୁତ୍ତର ସ୍ତରକୁ ପହଞ୍ଚୁଥିବା ବ୍ଲକରେ ଭୂତଳ ଜଳ ପୁନଃଭରଣ କାର୍ଯ୍ୟ କରାଯାଉଛି । ଏହି କାର୍ଯ୍ୟକ୍ରମ ଯୋଗୁଁ ରାଜ୍ୟର ଭୂତଳ ଜଳସମ୍ପଦରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୧୭୫ ଗୋଟି ସରକାରୀ ଗୃହ ଏବଂ ୬୦୦୦ ଘରୋଇ ଗୃହରେ ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ (RRHS) ନିର୍ମାଣ ଏବଂ ୪୯୦ ଗୋଟି ରିଚାର୍ଜ ଶାଫ୍ଟ (Recharge Shaft) ନିର୍ମାଣ ପାଇଁ ୭୫ କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।
ମହୋଦୟା,
ରାଜ୍ୟରେ ବ୍ୟବହୃତ ହେଉଥିବା ଜଳ ମଧ୍ୟରୁ ଶତକଡା ୮୦ ଭାଗ ଜଳସେଚନରେ ଉପଯୋଗ କରାଯାଇଥାଏ । ଏହା ବିକଶିତ ରାଷ୍ଟ୍ର ମାନଙ୍କ ଦ୍ଵାରା ଚାଷ ନିମନ୍ତେ ବ୍ୟବହାର କରାଯାଉଥିବା ଜଳର ପରିମାଣ ଠାରୁ ଯଥେଷ୍ଟ ଅଧିକ । ଜଳସେଚନରେ ମିତବ୍ୟୟିତାକୁ ଦୃଷ୍ଟିରେ ରଖି Water Use Efficiency କୁ ବୃଦ୍ଧି କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯଥା Mukhyamantri Canal Lining Yojana, Nabakrushna Choudhury Secha Unnayana Yojana, Command Area Development and Water Management (CADWM) କରାଯାଉଅଛି ।
Mukhyamantri Canal Lining Yojana ରେ ଜଳପ୍ରବାହ ଜନିତ କ୍ଷତିକୁ ହ୍ରାସ କରିବା ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ୧୬୦ କିଲୋମିଟର କେନାଲ ଲାଇନିଂ ପାଇଁ ୪୩୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଅଛି ।
Nabakrushna Choudhury Secha Unnayana Yojana ରେ କେନାଲ ଜଳ ପରିବହନ ବ୍ୟବସ୍ଥାର ଆଧୁନିକୀକରଣ ଏବଂ ବିଲୁପ୍ତ ହୋଇ ଯାଇଥିବା ଆୟକଟର ପୁନଃରୁଦ୍ଧାର ପାଇଁ ଆର୍ଥିକ ବର୍ଷ ୨୦୨୫-୨୬ ରେ ୨୪୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ୬୩୦୦ ହେକ୍ଟର ଆୟକଟକୁ ସୁଦୃଢୀକରଣ କରାଯିବାର ପ୍ରସ୍ତାବ ରହିଛି ।
ଜଳର ସୁଷମ ବଣ୍ଟନ ଉପରେ ଗୁରୁତ୍ୱ ଦେଇ କ୍ଷେତ୍ର ନାଳୀ ଏବଂ ଫିଲ୍ଡ ଡ୍ରେନ ନିର୍ମାଣ କରି ଶେଷ ମୁଣ୍ଡରେ ପର୍ଯ୍ୟାପ୍ତ ଜଳ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ Command Area Development and Water Management (CADWM) କାର୍ଯ୍ୟକ୍ରମ ମାଧ୍ୟମରେ ଅଦ୍ୟାବଧି ୧୧ ଲକ୍ଷ ୨୮ ହଜାର ହେକ୍ଟର୍ ଜମିରେ କରନାଳୀ ନିର୍ମାଣ କରାଯାଇଅଛି । ବୃହତ୍, ମଧ୍ୟମ, କ୍ଷୁଦ୍ର, ଉଠା ଏବଂ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ମୋଟ ୪୧ ହଜାର ୪୮୧ ଟି ପାଣି ପଞ୍ଚାୟତ ଗଠନ କରାଯାଇଅଛି । ପାଣି ପଞ୍ଚାୟତ ମାଧ୍ୟମରେ ଜଳବଣ୍ଟନ ବ୍ୟବସ୍ଥାର ସୁସମ୍ପାଦନ ସହ କରନାଳୀର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଇପାରୁଛି I e-CAD ଆପ୍ଲିକେଶନ ମାଧ୍ୟମରେ ପାଣି ପଞ୍ଚାଯତ ମାନଙ୍କର କାର୍ଯ୍ୟ ଏବଂ କରନାଳୀ ଇତ୍ୟାଦି ନିର୍ମାଣ କାର୍ଯର ପ୍ରକୃତ ସମୟରେ ନିରୀକ୍ଷଣ ସହଜରେ କରାଯାଇପାରୁଅଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୮ ହଜାର ୩୪୪ ହେକ୍ଟର ଚାଷଜମିରେ କ୍ଷେତ୍ର ନାଳୀ ଗୁଡିକର ନିର୍ମାଣ ଏବଂ ୧୯ ହଜାର ୧୪୫ ହେକ୍ଟର ଚାଷଜମିରେ ପୁରୁଣା କ୍ଷେତ୍ର ନାଳୀ ଗୁଡିକର ପୁନଃନିର୍ମାଣ ପାଇଁ ୨୯୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ମହୋଦୟା,
ପ୍ରକଳ୍ପ ଅଞ୍ଚଳରେ କୃଷି ଉତ୍ପାଦନକୁ ବିବିଧ ଓ ଉନ୍ନତ କରି ଜଳବାୟୁ ସହନଶୀଳ କୃଷି ଅଭ୍ୟାସ ବିକଶିତ କରି ଜଳ ଉତ୍ପାଦିକା ବୃଦ୍ଧି ଏବଂ ଭରସାଯୋଗୀ ଜଳସେଚନ ଦ୍ଵାରା କୃଷକ ମାନଙ୍କ କ୍ଷମତା ଓ ଆୟ ବୃଦ୍ଧି କରିବା ପାଇଁ ବିଶ୍ଵ ବ୍ୟାଙ୍କ ସହାୟତାରେ Odisha Integrated Irrigation Project for Climate Resilient Agriculture (OIIPCRA) କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଅଦ୍ୟାବଧି ୧୫୭ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ର ଉନ୍ନତିକରଣ କରାଯାଇ ୧୪ ହଜାର ୯୯୫ ଖରିଫ ଓ ୧ ହଜାର ୪୩୬ ହେକ୍ଟର ରବି ଆୟକଟକୁ ସୁନିଶ୍ଚିତ ଜଳସେଚନ କରାଯାଇପାରିଛି । ଏତଦବ୍ୟତୀତ ୧୮୯ ଟି ପ୍ରକଳ୍ପର କାର୍ଯ୍ୟ ଚାଲୁଅଛି, ଯାହା ୨୦ ହଜାର ୧୨୬ ହେକ୍ଟର ଖରିଫ ଓ ୨ ହଜାର ୨୩୪ ହେକ୍ଟର ରବି ଆୟକଟକୁ ସୁନିଶ୍ଚିତ ଜଳସେଚନ ସହିତ ୧ ହଜାର ୨୩୬ ଟି ସୌରଶକ୍ତି ଚାଳିତ ଗଭୀର ନଳକୂପ ମାଧ୍ୟମରେ ୬ ହଜାର ୧୮୦ ହେକ୍ଟର ଅତିରିକ୍ତ ଜଳସେଚନ ଯୋଗାଇଦିଆଯିବ । ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ୩୮୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
ମହୋଦୟା,
ବନ୍ୟା ନିୟନ୍ତ୍ରଣ କରି ପ୍ରାକୃତିକ ବିପର୍ଯ୍ୟୟରୁ ଧନ ଜୀବନ ରକ୍ଷାକରିବା ଜଳସମ୍ପଦ ବିଭାଗର ଏକ ଗୁରୁତ୍ଵପୂର୍ଣ କାର୍ଯ୍ୟ । ପ୍ରାୟ ପ୍ରତି ଏକ ବର୍ଷ ବ୍ୟବଧାନରେ ରାଜ୍ୟରେ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଥାଏ । ବନ୍ୟାର କ୍ଷୟକ୍ଷତି ହ୍ରାସ କରିବାକୁ ତଥା ସାମୁଦ୍ରିକ ଲବଣାକ୍ତ ଜଳର ଅନୁପ୍ରବେଶକୁ ପ୍ରତିରୋଧ କରିବାପାଇଁ ଏଯାବତ ୭ ହଜାର ୪୭୩ କିଲୋମିଟର ବନ୍ୟା ପ୍ରତିରୋଧକ ବନ୍ଧ ଓ ଲୁଣା ଘେରି ବନ୍ଧମାନ ନିର୍ମାଣ କରାଯାଇଅଛି ।
ଓଡିଶା ଉପକୂଳରେ ନିୟମିତ ବ୍ୟବଧାନରେ ବାତ୍ୟାଜନିତ ଜୁଆରର ପ୍ରଭାବକୁ ହ୍ରାସ କରିବା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ପୁରୀ ଜିଲ୍ଲାର ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ୧୯୩ କିଲୋମିଟର ଦୈର୍ଘ୍ୟ ଲୁଣିବନ୍ଧକୁ ସୁଦୃଢ଼ କରିବା ପାଇଁ ୭୫୭ କୋଟି ଟଙ୍କା ବ୍ୟୟରେ "Mukhyamantri Disaster Resilient Saline Embankment Project” କାର୍ଯ୍ୟକାରୀ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୯୬ କିଲୋମିଟର ଲୁଣିବନ୍ଧ ସୁଦୃଢୀକରଣ କାର୍ଯ୍ୟ କରାଯାଉଛି । ଅବଶିଷ୍ଟ ୯୭ କିଲୋମିଟର ଲୁଣିବନ୍ଧର ସୁଦୃଢୀକରଣ ନିମନ୍ତେ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରସ୍ତାବ ରହିଛି । ଏଥିପାଇଁ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା । ଠିକ୍ ସମୟରେ ଜଳ ନିଷ୍କାସନ ନ ହେଉଥିବା ଯୋଗୁଁ ଫସଲ ଅମଳ ଉପରେ ପ୍ରଭାବ ପଡିଥାଏ । ରାଜ୍ୟରେ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତିକରଣ ପାଇଁ “Drainage Improvement Program” କାର୍ଯ୍ୟକାରୀ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଆମ ସରକାର ୧୩୮୫ କିଲୋମିଟର ପ୍ରାକୃତିକ ନାଳ ର ଉନ୍ନତିକରଣ କରି ୨ ହଜାର ୧୨୨୦ ହେକ୍ଟର ଚାଷଜମିକୁ ଜଳପ୍ଳାବନ ମୁକ୍ତ କରିବା ପାଇଁ ଯୋଜନା କରିଛନ୍ତି । ଏହି ଯୋଜନା ଅଧୀନରେ ସୁକପାଇକା ଡ୍ରେନେଜ୍ ଚ୍ୟାନେଲର ପୁନରୁଦ୍ଧାର, ଅସୃଖଳା ଡ୍ରେନେଜ୍ ଚ୍ୟାନେଲର ଉନ୍ନତିକରଣ, କଟକର ପେଟାନାଳ ନବୀକରଣ, ଗଞ୍ଜାମର ବାହନା ନାଳା ଓ ବାହାଡା ନାଳାର ମୁହାଣ ଖନନ ଇତ୍ୟାଦି କାର୍ଯ୍ୟ କରାଯିବ । ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ୩୬୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଅଛି ।
ମହୋଦୟା,
ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦୃଷ୍ଟିରେ ରଖି ଡ୍ୟାମ ଗୁଡିକର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏଥିପାଇଁ କେନ୍ଦ୍ର ସରକାର ଏକ Dam Safety Act ପ୍ରଣୟନ କରିଛନ୍ତି । ଏହା ମଧ୍ୟ ରାଜ୍ୟ ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇଛି । ଏଥିପାଇଁ ଡ୍ୟାମଗୁଡ଼ିକର ସ୍ୱାସ୍ଥ୍ୟ ନୀତିଗତ ଭାବେ ନିରୀକ୍ଷଣ କରାଯାଇ ଆବଶ୍ୟକୀୟ ପୁନଃରୁଦ୍ଧାର ପାଇଁ ବିଶ୍ୱ ବ୍ୟାଙ୍କ ସହାୟତାରେ Dam Rehabilitation & Improvement Program (DRIP) ଏବଂ ରାଜ୍ୟ ସରକାରଙ୍କ ପାଣ୍ଠିରୁ Dam Protection & Improvement Work କାର୍ଯ୍ୟକାରୀ କରାଯାଉଛି ।
DRIP ର ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ ୨୯ ଗୋଟି ଡ୍ୟାମ ପୁନଃରୁଦ୍ଧାର କରାଯାଇଛି ଏବଂ ୧୦ ଗୋଟି ସମ୍ପୂର୍ଣ୍ଣ ହେବାର ଅଗ୍ରୀମ ପର୍ଯ୍ୟାୟରେ ରହିଛି । ଏତଦବ୍ୟତୀତ DRIP ର ତୃତୀୟ ପର୍ଯ୍ୟାୟରେ ହୀରାକୁଦ ଡ୍ୟାମର ଅତିରିକ୍ତ ସ୍ପିଲୱେ ନିର୍ମାଣ ସହିତ ଏଥିରେ ଥିବା ଗେଟ ଓ ପ୍ରସ୍ତାବିତ ଅତିରିକ୍ତ ସ୍ପିଲୱେ ଗେଟ୍ ଗୁଡ଼ିକର ସ୍ୱୟଂକ୍ରିୟକରଣ ପ୍ରସ୍ତାବ ଦିଆଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ସେହିପରି ରାଜ୍ୟ ସରକାରଙ୍କ ପାଣ୍ଠିରୁ କରାଯାଉଥିବା Dam Protection & Improvement Work ଯୋଜନା ପ୍ରଣୟନ ପୂର୍ବକ ୨୦୨୫-୨୬ ଆର୍ଥିକ ବର୍ଷରେ ୫୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ମହୋଦୟା,
ଜଳର ସୁପରିଚାଳନା ପାଇଁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା (IT) ର ପ୍ରୟୋଗ ଅତ୍ୟନ୍ତ ଜରୁରୀ । ଜଳସଂପଦ ବିଭାଗ ଇତିମଧ୍ୟରେ ବିଭିନ୍ନ କାର୍ଯ୍ୟ ପାଇଁ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରୁଅଛି । ଏହା ଦ୍ୱାରା ବିଭିନ୍ନ କାର୍ଯ୍ୟପଦ୍ଧତିରେ ଉନ୍ନତି ପରିଲକ୍ଷିତ ହେବା ସହ ଦକ୍ଷତା ବିକାଶ, ସ୍ୱଚ୍ଛତା ଏବଂ ନାଗରିକ ସମ୍ପୃକ୍ତି ପାଇଁ ଅଦ୍ଭୁତପୂର୍ବ ସୁଯୋଗ ପ୍ରଦାନ କରିଛି । ବିଭିନ୍ନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ସେବା ଯୋଗାଣରେ ସୁଧାର ଆଣିବା ପାଇଁ ସରକାର ଚଳିତ ଆର୍ଥିକ ବର୍ଷରେ State Water Informatics Centre କୁ କାର୍ଯ୍ୟକ୍ଷମ କରିଛନ୍ତି । ବିଭାଗ ଦ୍ଵାରା GOWATER IT module ମାଧ୍ୟମରେ ବାସ୍ତବ ସମୟ ବନ୍ୟା ପୂର୍ବାନୁମାନ, ପ୍ରକଳ୍ପ ପର୍ଯ୍ୟାଲୋଚନା, କେନାଲ ପରିଚାଳନା କରାଯାଉଛି ।
ଏତଦବ୍ୟତୀତ ବ୍ୟାରେଜ / ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଫାଟକଗୁଡ଼ିକୁ ସ୍ୱୟଂକ୍ରିୟକରଣ କରିବା, ବାସ୍ତବ ସମୟରେ ତଦାରଖ ପାଇଁ ଉଠା ଜଳ ସେଚନ ନିଗମର MIS dashboard ରେ ବିକାଶ, ଶିଳ୍ପ ଜଳ ଯୋଗାଣ ପାଇଁ IOT ମିଟର ସ୍ଥାପନ ଏବଂ volumetric water ମାପ କାର୍ଯ୍ୟକ୍ଷମ କରିବାକୁ ଯୋଜନା ମଧ୍ୟ କରିଛନ୍ତି। ଏଥିପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ୧୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ଆମ ରାଜ୍ୟର ମହାନଦୀ, ବଂଶଧାରା ଜଳ ବିବାଦ ଓ ପୋଲାଭରମ ପ୍ରକଳ୍ପ ଦ୍ଵାରା ଓଡ଼ିଶାର ଜଳମଗ୍ନ ଅଂଶ ପାଇଁ ଚାଲିଥିବା ବିବାଦରେ ଗୃହର ସଚେତନ ସଦସ୍ୟମାନଙ୍କର ଉଦବେଗ ସହ ମୁଁ ସମ୍ପୂର୍ଣ୍ଣ ସହମତ । ଏହି ବିବାଦ ଗୁଡିକ ମାନ୍ୟବର Tribunal ଏବଂ Supreme Court ରେ ବିଚାରାଧିନ ଥିବାରୁ ଏହି ସମ୍ପର୍କରେ ପବିତ୍ର ଗୃହରେ ବିଷଦ ବିବରଣୀ ଦେବା ପାଇଁ ମୁଁ ଉଚିତ ମନେ କରୁନାହିଁ । କିନ୍ତୁ ରାଜ୍ୟର ବୃହତ୍ତର ସ୍ଵାର୍ଥ ରକ୍ଷା ନିମନ୍ତେ ଆମ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ।
କୃଷକ ମାନଙ୍କର ଉନ୍ନତି ବିନା ରାଜ୍ୟର ବିକାଶ ସମ୍ଭବ ନୁହେଁ । ଆମ ସରକାର ଭଲ ଭାବେ ଜାଣିଛନ୍ତି ଯେ ଜମିକୁ ଯଦି ଜଳ ଯୋଗାଇ ଦିଆଯାଏ, ତେବେ ଚାଷୀ ର ଅଧା ସମସ୍ଯାର ସମାଧାନ ଆପେ ଆପେ ହୋଇଯିବ। ଏଥିପାଇଁ ରାଜନୈତିକ ଇଚ୍ଛା ଶକ୍ତି, ଦୁର୍ନୀତିମୁକ୍ତ ସ୍ଵଚ୍ଛ ଶାସନ ଆବଶ୍ୟକ ଯାହା ଆମ ସରକାରଙ୍କ ପାଖରେ ନିଶ୍ଚିତ ଭାବେ ରହିଛି। ବର୍ତ୍ତମାନ ଆମ ରାଜ୍ୟରେ ଖରିଫ ଋତୁରେ ପ୍ରାୟ 61 ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହେଉଛି ଏବଂ ତନ୍ମଧ୍ୟରୁ ପ୍ରାୟ 42 ଲକ୍ଷ ହେକ୍ଟର ଜମି ପାଇଁ ଜଳସେଚନ ସୁବିଧା ଉପଲବ୍ଧ, କିନ୍ତୁ ପ୍ରକୃତ ଜଳ ସେଚନର ସୁବିଧା ପ୍ରାୟ 29 ହଜାର, ଅର୍ଥାତ ଉପଲବ୍ଧ ଜଳସେଚନର ପ୍ରାୟ 70 ପ୍ରତିଶତ ଜମିକୁ ପ୍ରକୃତ ପକ୍ଷେ ଜଳ ମିଳିଥାଏ। ଆମେ ଏହି gap କୁ ସୁଧାରିବାକୁ ସବୁ ମତେ ଚେଷ୍ଟା କରିବୁ। ଗତ ସରକାର ସମୟରେ ଯେଉଁ ସ୍ଲୋଗାନ ଥିଲା, ‘ଜମିକୁ ଜଳ, ଚାଷୀର ବଳ’, ପ୍ରକୃତ ପକ୍ଷେ ତାହା ଥିଲା, ‘ଜମିକୁ ଜଳ, ଠିକାଦାରକୁ ବଳ’। ବର୍ତ୍ତମାନ ସେ ପରିସ୍ଥିତି ନାହିଁ। ଜମିକୁ ଜଳମାନେ, ଜଳ ଯିବ ହିଁ ଯିବ। ବାଟ ମାରଣା, ଭୁତ କାମର ଇତିଶ୍ରୀ ହୋଇ ସରିଛି। ଏଣିକି ‘କମ କର, ନଚେତ ପରିଣାମ ଭୋଗ’ mode ରେ ସରକାର ଅଛନ୍ତି।
ତେଣୁ ଜଳସମ୍ପଦ ତଥା କୃଷି ଓ କୃଷକ ମାନଙ୍କର ଉନ୍ନତି ଦ୍ୱାରା ରାଜ୍ୟକୁ ବିକାଶ ପଥରେ ଆଗେଇ ନେବା ସହ “ବିକଶିତ ଓଡ଼ିଶା, ବିକଶିତ ଭାରତ” ର ସ୍ଵପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ଉପସ୍ଥାପିତ 14 ହଜାର 841 କୋଟି 72 ଲକ୍ଷ 92 ହଜାର ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବଟିକୁ ସ୍ୱୀକୃତି ପ୍ରଦାନ କରିବା ପାଇଁ ମୁଁ ମାନ୍ୟବର ସଦସ୍ୟ ମାନଙ୍କୁ ଅନୁରୋଧ କରୁଛି । ମୋତେ କିଛି ବକ୍ତବ୍ୟ ରଖିବାର ସୁଯୋଗ ପ୍ରଦାନ କରିଥିବାରୁ ମୁଁ ମାନ୍ୟବର ବାଚସ୍ପତି ମହୋଦୟାଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି ।
॥ ଧନ୍ୟବାଦ॥ // ବନ୍ଦେ ଉତ୍କଳ ଜନନୀ //
0 Comments:
Post a Comment
<< Home