Sunday, August 16, 2026

ତୁମେ ଫେରିବ ବୋଲି



ଅକ୍ଷୟ କୁମାର ସାହୁ


ତୁମେ ଚାଲିଗଲା ପରେ ଶୂନ୍ୟ ଏ ଆକାଶ,

ନିରବ, ନିଶ୍ଚଳ ମୋ ମନପ୍ରାଣ

ଥମିଯାଇଛି ପ୍ରତିଟି ଶ୍ୱାସ ଓ ପ୍ରଶ୍ୱାସ,

ତୁମ ସ୍ମୃତି ଆସିଲେ ଆଖି ହୁଏ ଲୁହ ନୁହେଁ. – 

ବହେ ରୁଧୀର,

ତୁମ ବିନା ପ୍ରିୟା, ଜୀବନ ଲାଗେ ଅନ୍ଧାର।


ଦିନଗୁଡ଼ିକ ଏଠି ରାତି ପରି କଟେ,

ରାତି ଆସିଲେ ଯନ୍ତ୍ରଣା ହୃଦୟକୁ ଛୁଏଁ,

ତୁମ ପାଦଶବ୍ଦ ଶୁଣିବାକୁ କାନ ରହେ ଚାହିଁ,

ତୁମେ କେବେ ଫେରିବ, -

ପଚାରେ ମୋର ପ୍ରତିଟି ନିଶ୍ୱାସ।


ଚାତକ ପରି ମୁଁ ଚାହିଁ ରହିଛି ତୁମର ବାଟ,

ତୁମ ଆସିବା ଆଶାରେ ବିତୁଛି ବିନିଦ୍ର ଦିନ ଆଉ ରାତି,

ମନରେ ପାହାଡ଼ ପରି ବେଦନା, 

ଛାତିରେ ଅସହ୍ୟ ଜାତନା,

ତୁମ ବିନା ପ୍ରିୟା, 

କିଏ ବୁଝିବ ଏ ଯନ୍ତ୍ରଣା?


ମୋ କଳ୍ନାନାରେ 

ତୁମେ କେବେ ପବନ ହୋଇ ଛୁଇଁଯାଅ 

ଶୀତଳ ପବନ ପ୍ରଲେପରେ ମାଖି ଦିଅ ମୋ ମୁହଁ,

କେବେ ସ୍ୱପ୍ନ ହୋଇ ବସ ଆସି ମୋ ପାଖେ,

ତୁମର ଅଭୂଲା ସ୍ମୃତିରେ 

ଆଜି ବି ଜଳୁଛି ଏ ହୃଦୟ,

ତୁମ ଫେରିବା ବାଟକୁ ଚାହିଁ ରହିଛି 

ମୋର ଏହି ସନ୍ତାପିତ ନୟନ।


ପ୍ରିୟା!

ଯଦି ଶୁଣୁଛ ମୋ ମନର ନିରବ ଡାକ,

ଫେରିଆସ, ଭାଙ୍ଗିଦିଅ ଏ ବିରହର ପ୍ରାଚୀର

ଭାଙ୍ଗିଦିଅ ସମସ୍ତ କୃତ୍ରିମ ବାଧା ଆଉ ବନ୍ଧନ,

ତୁମେ ଆସିଲେ ପୁଣି ହସିବ ଏ ଜୀବନ,

ତୁମେ ହିଁ ମୋ ପ୍ରେମ, ତୁମେ ହିଁ ମୋର ସ୍ପନ୍ଦନ।